(କବିସୂର୍ଯ୍ୟ— ରାଗ କଳହଂସ କେଦାର)
ତାର ଗିରେ କି ବିଶ୍ୱାସ
ତାର ସ୍ନେହେ କି ବିଶ୍ୱାସ
ତାର ପରେ କି ବିଶ୍ୱାସ
ଯାର ଜାରବିଳାସ ଗୋ । ଘୋଷା ।
ବୋଲେ ଶତ ଥର ଶପଥରେ ମୋର
ଆନେ ନାହିଁ ଅଭିଳାଷ
ହୋଇଥାଏ ବୋଲି ଚନ୍ଦ୍ରାବଳୀ କେଳି
ନିକୁଞ୍ଜ କୁସୁମବାସ ଗୋ । ୧ ।
ଦନ୍ତବାସେ ସତୀ ଯୁବତୀଙ୍କ ଜାତି
ନେବା ଭଙ୍ଗୀମିଶା ହାସ
କଥାକୁ ଶାଶୁଙ୍କ ମଥାକୁ ଛୁଅଇଁ
ଏପରି ଯାହା ସାହସ ଗୋ । ୨ ।
ପ୍ରତି ରାତି ନାରୀମଣିର ରମଣେ
ତରେ ବଳାଏ ମୁହାଁସ
ପାଚେରି ଡେଇଁବା ଆପଦୁ ଯା ପଦ
ଜଳଜ ତଳ ପରାସ ଗୋ । ୩ ।
ହୁଏ କେଡ଼େ ପ୍ରିୟ ଗିରେ ସବିନୟ
ପ୍ରକାଶି ମୋହନ ରସ
ମୁରଲୀ ବଜାଇ ଡାକେ ଯହୁଁ ଯାଇ
ଆଚରେ ବଡ଼ ନିରାଶ ଗୋ । ୪ ।
ମୁଁ ନଗର ଯୁବରାଜ ବୋଲି ଅବ
-ଲେପରେ ବହେ ଉଲ୍ଲାସ
ଯେ ପୁଣି କପଟେ ଲୁଚି ନଦୀ ତଟେ
ଲୁଟଇ ପାଲଟାବାସ ଗୋ । ୫ ।
ତେବେ ହେଲେ ଏ କି ଚିତ୍ର ଧିକ ତାର
ଧନ ଜୀବନ ନିବାସ
ଅଷ୍ଟଦୁର୍ଗ ପୁରନ୍ଦର ବୋଲେ ଯାର
ଗତି ନୁହେ ପୀତବାସ । ୬ ।