(କବିସୂର୍ଯ୍ୟ— ରାଗ ଧନାଶ୍ରୀ)
ଥରେ ଏକାନ୍ତରେ ସିନା କହିଥିଲି ସହୀକି
ସ୍ଥାପିତ ନ କରି ଦୁର୍ଜ୍ଜନଙ୍କ ଆଗେ କହି କି । ଘୋଷା ।
ଥିଲାଠାରେ ବିଶ୍ୱାସ କପଟ ପାରେ ରହିକି
ଥୋଇବା ହୃଦୟେ ଖ୍ୟାତି ପୂର୍ଣ୍ଣକରେ ମହୀକି । ୧ ।
ସ୍ଥାବର ଜଙ୍ଗମେ ଶ୍ୟାମ କାହା ହୃଦେ ନାହିଁ କି
ଥିଲା ମୋ ଲଲାଟ ପଟେ ଏ ଅଯଶ କାହିଁକି । ୨ ।
ଥାପିପଣ ଥିବାର ସଜ୍ଜନ ଗୁଣ ଏହି କି
ସ୍ଥାୟୀ କଲି ବିଷାର୍ଜନ କ୍ଷୀର ଦେଇ ଅହିକି । ୩ ।
ସ୍ଥିର ପୀରତି ବଲ୍ଲୀକି ଦମ୍ଭାନଳେ ଦହିକି
ସ୍ଥଳ ଆଳୀମାନଙ୍କର ଏ ଦ୍ୱେଷକୁ ମୁହିଁ କି । ୪ ।
ସ୍ଥିରାଚକ୍ରେ ଜଣେ ବୋଲି ଜାଣଇ ସୁମୁହୀଁକି
ଥରୁଥାଏଁଟି ମୁଁ କବିରବି ସାକ୍ଷୀ ତହିଁକି । ୫ ।