Thika Tha Bartula Chandranana

ଠିକ ଠ ବର୍ତ୍ତୁଳ ଚନ୍ଦ୍ରାନନା ତୋ ଚିତ୍ତରେ
(Kabisurjya— Raga Sriranjani, Tala Jati)
(କବିସୂର୍ଯ୍ୟ— ରାଗ ଶ୍ରୀରଞ୍ଜନୀ, ତାଳ ଯତି)

Ṭha Patala — Kisorachandrananda Champu
ଠ ପଟଳ — କିଶୋରଚନ୍ଦ୍ରାନନ୍ଦ ଚମ୍ପୂ

ଠିକ ଠ ବର୍ତ୍ତୁଳ ଚନ୍ଦ୍ରାନନା ତୋ ଚିତ୍ତରେ । ଘୋଷା ।

ଠକ ରୀତି ନ ଆଚରି ମୋ କଦନକୁ ବିଚାରି
ଅକପଟ ତ୍ରାଣବିଧି ଉଚିତରେ । ୧ ।

ଠଣା ଠୁଙ୍କି ତାପ ତ୍ରାସ ମୁଣ୍ଡେ ମନମଥ ପାଶ
ବନ୍ଧନ କର ତୁ ପରା ମୋଚିତରେ । ୨ ।

ଠଉରାଇ ଅବସର କଲେ ତୁ ପ୍ରସଙ୍ଗ ମୋର
ଯିବ ରାଜୀବନେତ୍ରାକୁ ରୁଚିତରେ । ୩ ।

ଠୋ କରି ଛିଣ୍ଡାଇ ଦେ ନା ପ୍ରିୟସଖୀ ମୋ ବେଦନା
ନ ଲାଗଇ ନିକି ତତେ କିଞ୍ଚିତରେ । ୪ ।

ଠାରିଦେଲେ ନେତ୍ରାଞ୍ଚଳେ ବିଜନ ସ୍ଥଳେ ସେ ବଳେ
ବିରାଜିବ କ୍ଷଣରୁଚି ଉଚିତରେ । ୫ ।

ଠାକୁର ଠାକୁରାଣୀଙ୍କ ପଦାମ୍ବୁଜ ଧ୍ୟାନରଙ୍କ
ନୃପ ଜଗଦ୍ଦେବ କରେ ରଚିତରେ । ୬ ।