(କବିସୂର୍ଯ୍ୟ— ରାଗ ତୋଡ଼ି, ତାଳ ଆଠତାଳି)
ଥିଲେ ଅପରାଧ ମୋର
ଥରେ କ୍ଷମା ନ କରିବ କି ସେ ରାମାବର । ଘୋଷା ।
ଥଳ କମଳ ବିଜୟୀ ଚରଣେ ମୁଁ ତାର
ଲାକ୍ଷା ଲେଖୁଥିବି ନିତି କଲେ ଅଙ୍ଗୀକାର । ୧ ।
ଥିବି ଖଟି ପାଶେ ତାର ମରଜିକି ଜାଣି
କଲେ ଅନୁକମ୍ପା ମୋରେ ସୁରସିକା ମଣି । ୨ ।
ଥାଉ ବା ନ ଥାଉ ମୋହ ଠାରେ ତା କରୁଣା
ମୋ ମନରେ ଭାବିଛି ତ ମୁଁ ତାହାର କିଣା । ୩ ।
ଥିର ଗମନାକୁ ମୋର ହୃଦୟରେ ହାର
କରିବାକୁ ସହଚରୀ ଉପାୟ ବିଚାର । ୪ ।
ଥାଏ ଯା ମୋ ଠାରେ ସଖି ଚିତ୍ତେ ଦୟା ତୋର
କହିବାକୁ ଅଛି କିସ ଜଗଦ୍ଦେବଙ୍କର । ୫ ।