To Gheni Tamala Syama

ତୋ ଘେନି ତମାଳ ଶ୍ୟାମ
(Kabisurjya— Raga Desakhya, Tala Tripata)
(କବିସୂର୍ଯ୍ୟ— ରାଗ ଦେଶାକ୍ଷ, ତାଳ ତ୍ରିପଟା)

Ta Patala — Kisorachandrananda Champu
ତ ପଟଳ — କିଶୋରଚନ୍ଦ୍ରାନନ୍ଦ ଚମ୍ପୂ

ତୋ ଘେନି ତମାଳ ଶ୍ୟାମ ମୋ ମରଜି କଷିଲା ରେ
ତଥାପି ତ ତିଳେ ହେଲେ ତୋ ସ୍ନେହେ ନ ରସିଲା ରେ ।ପଦ।

ତଳେ ବସନ ପ୍ରସାରି ତୃଣ ଦଶନାନ୍ତେ ଧରି
କହିଲେହେଁ ଅନୁସରି ରାଜି ତ ନ ଦିଶିଲା ରେ ।୧।

ତହୁଁ କି ବିଷମ ଭାବ ତର୍କିଲା ମୋ ଚାଟୁ ଶ୍ରବ
ତଟକୁ ଘଟନ୍ତେ ଅବଧାନ ବିନା ହସିଲା ରେ ।୨।

ତପନଜା ତଟକୁ ତୁ ତରୁଣୀଟା କେଉଁ କୁତୂ-
ହଳରୁ ଆସିଲୁ ହେତୁ କହ ବୋଲି ଘୋଷିଲା ରେ ।୩।

ତାର ତୋର ସୁଲୋଚନା ତାରତମ୍ୟ ବିବେଚନା
ଲବ ହୋଇ ନାହିଁ ତହିଁ ତୋ ଚିତ୍ତ କେ ପେଷିଲା ରେ ।୪।

ତିରସ୍କାର ପୂର୍ବ ଭାଷା ତରଲାଇ ସୁଖ ଆଶା
ତୋଟିକି ଚୁମ୍ବିଲା ତୃଷା ତିମିର ବିଳସିଲା ରେ ।୫।

ତୁଚ୍ଛ ସ୍ନେହ ମନ ଜନ ତୋ ସଙ୍ଗକୁ କି ଭାଜନ
ପ୍ରପନ୍ନ ହରିଚନ୍ଦନ ଜଗଦ୍ଦେବ ଭାଷିଲା ରେ ।୬।