(କବିସୂର୍ଯ୍ୟ— ରାଗ ନଟ, ତାଳ ଯତି)
ତୋ ଉପମା ତୁହି ରାମାମଣି ଏ ସଂସାରେ । ଘୋଷା ।
କର ତୁ ଏ ଅନୁମାନ ନାନା ବସୁସାରେ
ତୋ ସମାନ ମନକୁ ନ ଆସଇ ସୁସାରେ । ୧ ।
ରସିଥାଏ ଯେ ରସନା ସୁମଧୁର ସାରେ
ଘେନ ତ ମୋ ଧନ ସେ କି ଖେଳଇ କଷାରେ । ୨ ।
ମୋହନା ମୁଁ ତୋହ ଅନୁଗ୍ରହ ଭରସାରେ
ପ୍ରମୋଦେ ଚାଲଇ ଦେଇ ପ୍ରପଦ ରସାରେ । ୩ ।
ମନାଇଁ ତୁ ରସନ୍ତେ ମୋ ଉତ୍ସଙ୍ଗ ବସାରେ
ବାସବ ମୋ ଦମ ନୁହେ ଅଖଣ୍ଡ ଦଶାରେ । ୪ ।
ଭୁଲାଉ ନୟନେ ଯେବେ ଲହସା ଖୋଷାରେ
ଫୁଲଇ ମୋ ଛାତି ଭଲେ କୁଲାଏ ଓସାରେ । ୫ ।
ଉରୁବଶୀ ବେଶ ହେଲେ ତୋ ସାମ୍ୟ ଆଶାରେ
ମରିବି ସେ ଉଲୀ ସତେ କି ଲୋକହସାରେ । ୬ ।
ମଣ୍ଡୁଥାଉ ଓଷ୍ଠକୁ ଯେ ସୁମନ୍ଦ ହସାରେ
ଜରଜର ହୁଏ ମୋ ନୟନ ଘନସାରେ । ୭ ।
ଜଳନ୍ତରାଧିରାଜର ସସ୍ନେହ ଭାଷାରେ
ତିନ୍ତିଲା ସୁଦନ୍ତୀ ଲଜ୍ଜାଭର ବରଷାରେ । ୮ ।