(ବନମାଳୀ— ରାଗ ମଙ୍ଗଳ କାମୋଦୀ, ତାଳ ଯତି)
ମୁରଲୀ ତୋରେ ଶରଣ ଗଲି ରେ ମୁରଲୀ
ଦିନେ ନ ଡାକିବୁ ରାଧିକା ବୋଲି ରେ । ଘୋଷା ।
ସେ ନନ୍ଦସୁତ ମୁଁ ରାଜକୁମାରୀ
ବଂଶୀ ଦେଲୁ ସିନା ପରତେ କରି ରେ । ୧ ।
ଲୁଚି ଲୁଚି ଯାଏ ସଖୀ ସଙ୍ଗତେ
କି ଘେନି ଚିହ୍ନିଲୁ ମୁରଲୀ ମୋତେ ରେ । ୨ ।
ଜାତି ତୋର କଣ୍ଟାବାଉଁଶ ଖଣ୍ଡ
ଧ୍ୱନି ସଙ୍ଗେ ଥାଇ ପଞ୍ଚମ କାଣ୍ଡ ରେ । ୩ ।
କୃଷ୍ଣ ହସ୍ତୁ ତୋତେ କେ ଦ୍ୟନ୍ତା ମୋତେ
ଭସାଇ ଦିଅନ୍ତି ଯମୁନା ସ୍ରୋତେ ରେ । ୪ ।
ମୁରଲୀ ରେ ତୋର ଏଡ଼େ ବଡ଼ାଇ
ପତିବ୍ରତା ଦମ୍ଭ ଦେଉ ଛଡ଼ାଇ ରେ । ୫ ।
ବନମାଳୀ ବୋଲେ ଯୋଡ଼ିଣ କର
ମୁରଲୀଟି ଦୂତୀ ସିନା ତୁମ୍ଭର ରେ । ୬ ।